ବହୁତବର୍ଷ ପୂର୍ବେ ପଶ୍ଚିମ ଓଡ଼ିଶାର ଏକ ରାଜ୍ୟ ଥିଲା ପାଟଣା ଯାହାକୁ ପାଟଣାର ରାଜା ଶାସନ କରୁଥିଲେ। ତାଙ୍କର ଦୁଇଟି ପୁଅ ଥିଲେ ନରସିଂହ ଦେବ ଓ ବଳରାମ ଦେବ। ରାଜାଙ୍କ ମୃତ୍ୟୁପରେ ରାଜ୍ୟକୁ ଦୁଇ ଭାଇଙ୍କ ମଧ୍ୟରେ ସମାନ ଭାଗରେ ବଣ୍ଟାଗଲା। ବଳରାମ ଦେବଙ୍କ ଭାଗରେ ହୁମା ରାଜ୍ୟ ପଡିଲା ଓ ସେ ସେଠାରେ ଶାସନ କରିବାକୁ ଲାଗିଲେ।ଏହି ହୁମା ରାଜ୍ୟର ଏକ ଗ୍ରାମରେ ଛାଲୁ ନାମକ ଜଣେ ଅନାଥ ପିଲା ରହୁଥିଲା।
ଯୌବନାବସ୍ଥା ଆସିବାପରେ ଛାଲୁ ସେହି ଗ୍ରାମରେ ଜଣେ ଯୁବତୀ ରଙ୍ଗୀକୁ ପ୍ରେମକରି ବିବାହ କଲା। ଦିନେ ରଙ୍ଗୀ ଓ ଛାଲୁ ଜାଳ ପାଇଁ ଜଙ୍ଗଲ ଭିତରକୁ ଯାଇଥିଲେ ଓ ଏହି ସମୟରେ ଭୀଷଣ ଖରା ଯୋଗୁଁ କାଠ କାଟିବା ସମୟରେ ଛାଲୁ ଗଛ ଉପରୁ ପଡ଼ିଗଲା ଓ ତା’ ପତ୍ନୀ ଭୟଭୀତ ହୋଇଯାଇ ସ୍ୱାମୀ ପାଖକୁ ଧାଇଁ ଆସିଲା। ସ୍ୱାମୀକୁ ଅଚେତ ଅବସ୍ଥାରେ ପାଇ ସେ ମହାନଦୀକୁ ଯାଇ ନିଜ ପଣତ ଓଦା କରି ଆଣିଲା ଓ ସେହି ପଣତକୁ ଛାଲୁର ମୁହଁ ଉପରେ ଚିପୁଡ଼ି ଦେବାପରେ ଛାଲୁର ହୋସ ଆସିଲା କିନ୍ତୁ ନିଜ ପାଦରେ ଚାଲି ଯାଇପାରୁନଥିଲା କାରଣ ଗଛରୁ ପଡ଼ିବା ସମୟରେ ତା’ ମେରୁଦଣ୍ଡ ହାଡ଼ ଭାଙ୍ଗି ଯାଇଥିଲା।
ଏହାପରେ ଛାଲୁର ପତ୍ନୀ ରଙ୍ଗୀ ଛାଲୁକୁ ନିଜ ପିଠିରେ ନେଇ ଘରକୁ ଗଲା। ମେରୁଦଣ୍ଡ ଭାଙ୍ଗିଯିବାରୁ ଛାଲୁ କୁଆଡ଼େ ଯାଇ ପରିଲାନାହିଁ ଓ ତାଙ୍କ ପରିବାର ଚଳିବା କଷ୍ଟକର ହୋଇଗଲା। ଏପଟେ ଘର ଚଳାଇବା ପାଇଁ ରଙ୍ଗୀକୁ କେହି କାମ ଦେଉନଥିଲେ ଓ ଶେଷରେ ସେ ଭିକ୍ଷା ମାଗି ନିଜ ସ୍ୱାମୀ ଓ ନିଜ ପେଟ ପୋଷୁଥିଲା।
ଦିନକର କଥା ସେଦିନ ବହୁତ ଜୋରରେ ବର୍ଷା ହେବା କାରଣରୁ ରଙ୍ଗୀକୁ କେହି ଭିକ୍ଷା ଦେଲେନାହିଁ ଓ ସେଦିନ ସେ ଆଉ ତା’ ସ୍ବାମୀ ଛାଲୁ ଉପାସ ରହିଲେ। ଛାଲୁକୁ ବହୁତ ଭୋକ ଲାଗୁଥାଏ ଓ ରଙ୍ଗୀ ଏହୂ ସମୟରେ ନିଜ ସ୍ୱାମୀ କଷ୍ଟ ଦେଖିନପାରି ନିଜ ଆଙ୍ଗୁଠିରେ ଥିବା ରୂପା ମୁଦିକୁ ବିକ୍ରି କରିବାକୁ ନିର୍ଣ୍ଣୟ ନେଲା।
ଏହାପରେ ରଙ୍ଗୀ ବଣିଆ ପାଖକୁ ଯାଇ ନିଜ ମୁଦି ବିକ୍ରିକଲା ଓ ଏଥିରେ ଯେଉଁ ଟଙ୍କା ମିଳିଲା, ସେ ସବୁ ଖାଇବା ଜିନିଷ ନିଜ ସ୍ୱାମୀ ପାଇଁ କିଣି ଘରକୁ ଆସୁଥିଲା। ଫେରିବା ବାଟରେ ମହାନଦୀର ବାଲିରେ ଚାଲି ଚାଲି ସେ ଥକିପଡ଼ିଲା ଏବଂ ସେ ସେଠାରେ ପଡ଼ିବା ଦ୍ୱାରା ସବୁ ଖାଦ୍ୟ ବାଲିରେ ପଡ଼ିଗଲା। ଏହାପରେ ରଙ୍ଗୀକୁ କୌଣସି ବୁଦ୍ଧି ବାଟ ଦିଶିନଥିଲା ଓ ସେଠାରେ ଦୁଃଖରେ ତା’ ଆଖି ଲାଗିଗଲା।
ଏହି ସମୟରେ ସ୍ୱପ୍ନରେ ଜଣେ ଦେବୀ ଆସିଲେ ଓ ରଙ୍ଗୀକୁ କହିଲେ, ଦେଖେ ଝିଅ ମୁଁ ତୋ ସ୍ୱାମୀ ସେବାରେ ସନ୍ତୁଷ୍ଟ ହୋଇଛି। ଆଉ ତତେ ଏମିତି କିଛି ଜିନିଷ ଦେବାକୁ ଯାଉଛି ଓ ଏହି ଜିନିଷ ପାଇବାପରେ ତୁ ତୋ ଜୀବନ ସାରା ଯେତେ ଖାଇଲେ ବି ସରିବନାହିଁ। ତତେ କେବଳ ଏଠାରୁ ପାଞ୍ଚକୋଷ ଉତ୍ତର ଦିଗ ଆଡ଼କୁ ଏକ ପାହାଡ଼ ଉପରକୁ ଯିବାକୁ ହେବ ଓ ଏଠାରେ ଏକ ସାପ ଶୋଇଥିବ ତୁ ତାକୁ ଦେଖିଲେ ଭୟ କରିବୁନାହିଁ, ସାପଟି ତତେ ଦେଖିଲାପରେ ସେଠାରୁ ଚାଲିଯିବ ଆଉ ତୁ ସେଠାରୁ ସେହି ଜିନିଷଟି ନେଇଆସିବୁ ଓ ତୁ ଏଥର ହାସଖୁସିରେ ତୋ ପରିବାର ଚଲାଇ ପାରିବୁ।
ଏହାପରେ ରଙ୍ଗୀର ସ୍ୱପ୍ନ ଭାଙ୍ଗିଗଲା ଓ ସେ ଦେଖିଲା ଯେ, ପାଖରେ ଦୁଇଟି ପାଦଚିହ୍ନ ରହିଛି ଓ ଏଠାରେ ଦୁଇଟି ମନ୍ଦାର ଫୁଲ ମଧ୍ୟ ରହିଛି। ସ୍ୱପ୍ନରେ ଦେବୀ କହିଥିବା କଥା ମାନି ରଙ୍ଗୀ ଉତ୍ତର ଦିଗ ଆଡ଼କୁ ପାଞ୍ଚକୋଷ ଚାଲିଲା ଓ ସେଠାରେ ସେ ଏକ ବୁଢ଼ା ସାପକୁ ଦେଖିଲା। ସାପଟି ସେଠାରୁ ଚାଲିଗଲା ଓ ରଙ୍ଗୀ ସେଠାରୁ ସେହି ଜିନିଷଟି ଘରକୁ ନେଇ ଆସି ଦେଖେ ତ ତା’ ସ୍ବାମୀ ଭଲ ହୋଇଯାଇଛି ଓ ସେ ଚାଲିବାକୁ ଲାଗୁଛନ୍ତି। ଏହାଦେଖି ସେ ବହୁତ ଖୁସି ହୋଇଗଲା ଓ ଏହାପରଠାରୁ ସେ ବହୁତ ଖୁସିରେ ନିଜ ଜୀବନ ଅତିବାହିତ କଲା।
ରଙ୍ଗୀ ଏତେ ଭଲରେ ଜୀବନ ଅତିବାହିତ କରୁଥିବାର ଦେଖି ସ୍ଥାନୀୟ ଲୋକେ ଏତେ ସହ୍ୟ କରିପାରିଲେନାହିଁ ଓ ସେ ହୁମାର ରାଜା ବଳରାମ ଦେବଙ୍କୁ ଯାଇ କହିଥିଲେ, ରଙ୍ଗୀ ବହୁତ ଧନ ରଖିଛି ଓ ଏହାସବୁ ଚୋରି ଧନ ଅଟେ। ଏହାଶୁଣି ରାଜା ରଙ୍ଗୀକୁ ଡ଼କାଇଲେ ଓ ସେଦିନ ସଭାରେ ସୂର୍ଯ୍ୟାସ୍ତ ହୋଇପଡିଥିବା ଯୋଗୁଁ ରାଜା ନିଜର ବକ୍ତବ୍ୟ ଶୁଣାଇନଥିଲେ ଓ ରଙ୍ଗୀକୁ ସେଦିନ ସେ କାରାଗାରରେ ରଖିଦେଲେ।
ରାଜା ରାତିରେ ଶୟନ କରିବାକୁ ଚାଲିଗଲେ ଓ ନିଜ ସ୍ୱପ୍ନରେ ସେ ଦେଖିଲେ ଜଣେ ଦେବୀ ତାଙ୍କୁ କହୁଛନ୍ତି, ଯେଉଁ ମହିଳାଙ୍କୁ ରାଜା ଆପଣ ନିଜ କାରାଗାରରେ ରଖିଛନ୍ତି ତା’ର କୌଣସି ଭୁଲନାହିଁ ଓ ତାକୁ ମୁଁ ସବୁ ଦେଇଛି। ଗାଁ ଲୋକେ ତା’ର ଖୁସି ଦେଖି ସହ୍ୟ ନକରିପାରିବାରୁ ସେମାନେ ରଙ୍ଗୀ ଉପରେ ମିଥ୍ୟା ଆରୋପ ଲଗାଇଛନ୍ତି। ଏହାପରେ ରାଜା ନିଦରୁ ଉଠି ରଙ୍ଗୀକୁ କାରାଗାର ଭିତରୁ ଉଧାର କରି ତା’ ଘରେ ନେଇ ଛାଡ଼ିଦେଲେ।
ଏହାପର ଦିନ ରାଜା ନିଜ ସୈନ୍ୟ ସାମନ୍ତଙ୍କୁ ନେଇ ସେହି ଦେବୀଙ୍କ ଅନୁସନ୍ଧାନରେ ଲାଗିପଡ଼ିଲେ। ରାଜ୍ୟ ସାରା ବୁଲିବୁଲି ଥକିଯିବାରୁ ରାଜା ଏକ ଗଛ ମୂଳରେ ଶୟନ କଲେ ଓ ସ୍ୱପ୍ନରେ ସେ ଦେଖିଲେ ଯେ, ମହାନଦୀ କୂଳରେ ଥିବା ଏକ କୁଡ଼ିଆ ଘର ଭିତରକୁ ସେ ଯାଇଛନ୍ତି ଓ ସେଠାରେ ସେହି ଦେବୀଙ୍କୁ ସେ ଦେଖିଛନ୍ତି। ରାଜା ସେହି ଦେବୀଙ୍କୁ ପଚାରୁଛନ୍ତି ମାଆ ଆପଣ କିଏ? ଆଉ ମୋ ରାଜ୍ୟରେ କାହିଁକି ଆବିର୍ଭାବ ହୋଇଛନ୍ତି। ଏଥିରେ ଦେବୀ ରାଜାଙ୍କୁ କୁହନ୍ତି, ମୁଁ ମହାଦେବଙ୍କ ପତ୍ନୀ ପାର୍ବତୀ। ଏକଦା ସମୟରେ ଆମେ ସ୍ୱର୍ଗକୁ ଇନ୍ଦ୍ରଙ୍କ ରାଜଗୃହକୁ ଏଇବାଟ ଦେଇ ଯାଇଥିଲୁ ସେଠାରେ ପହଞ୍ଚିବାପରେ ସମସ୍ତେ ଆମକୁ ସ୍ୱାଗତ କଲେ ଆଉ ଆମ ଗୋଡ଼କୁ ଧୋଇଦେଲେ। ସେଠାରୁ ଫେରୁଥିବା ସମୟରେ ଇନ୍ଦ୍ରଙ୍କ ଅଷ୍ଟରାଣୀ ମୋ ମୁଣ୍ଡରେ ଆଠଟି ଫୁଲମାଳା ଲଗାଇଦେଲେ।
ବାଟରେ ମହାଦେବ ଏଥିରେ କପଟ କରି ନିଜ ଜଟାରୁ ଆଠଟି ଜଟା ପକାଇଦେଲେ ଯାହାକି ଏହା ପାଟଣା ସମୁଦାୟ ପାଟଣାର ଆଠଟି ସ୍ଥାନରେ ପଡ଼ିଲା। ଏଥିରେ ମୁଁ ମହାଦେବଙ୍କୁ କହିଥିଲି, ଆପଣ ଏକା କଣପାଇଁ ଏହି ଆଠଟି ସ୍ଥାନରେ ପୂଜା ପାଇବେ ଆଉ ମୁଁ କାହିଁକି ନୁହେଁ। ସେଥିପାଇଁ ମୁଁ ମୋ ମୁଣ୍ଡରେ ଲାଗିଥିବା ଆଠଟି ଫୁଲକୁ ଏଠାରେ ପକାଇଦେଲି। ଆଠଟି ଫୁଲରୁ ଗୋଟିଏ ଫୁଲ ଏହି ହୁମା ଠାରେ ପଡିବାଯୋଗୁଁ ଏଠାରେ ମୁଁ ଆବିର୍ଭାବ ହୋଇଛି। ଏହାଶୁଣି ରାଜା, ଦେବୀଙ୍କ ପାଦତଳେ ପଡ଼ିଗଲେ ଓ ଏହି ସମୟରେ ରାଜାଙ୍କ ନିଦ ଭାଙ୍ଗିଗଲା ଓ ସେ ଦେଖନ୍ତି ଯେ, ଶିମିଳି ଗଛ ମୂଳରେ ଦେବୀ ଜଣକ ଛିଡ଼ା ହୋଇଛନ୍ତି।
ଏହାପରେ ରାଜା ନିଜ ରାଜଭବନକକୁ ଆସି ସମସ୍ତଙ୍କୁ ଏହି ବିଷୟରେ ଜଣାଇଥିଲେ। ସେଠାରେ ମାତାଙ୍କ ମନ୍ଦିର ତୋଳାଇ ମାଆ ଶିମିଳି ଗଛ ମୂଳରେ ବାହାରିଥିବାରୁ ମାଆଙ୍କ ନାମ ସମଲେଶ୍ବରୀ ପଡ଼ିଲା ଓ ମାଆଙ୍କ ନାମାନୁସାରେ ସ୍ଥାନର ନାମ ମଧ୍ୟ ସମ୍ବଲପୁର ରଖାଗଲା।