ସେଦିନ ଥିଲା ଗୁରୁବାର ୧୦ ଜଣ ପର୍ଯ୍ୟଟକ କାଳିଜାଇ ପୀଠକୁ ଯିବାପାଇଁ ବାହାରିଲେ ଓ ସେମାନେ ଡ଼ଙ୍ଗାରେ ଦୁଇଜଣ ନାବିକଙ୍କ ସହିତ ଯାତ୍ରା କରିବା ଆରମ୍ଭ କଲେ ଓ ସୁରୁଖୁରୁରେ ମାଆ କାଳିଜାଇ ପୀଠରେ ପହଞ୍ଚିଲେ। ସେଠାରେ ସେମାନେ ମାଆଙ୍କ ଦର୍ଶନ କଲେ ଓ ପୂଜାକାର୍ଯ୍ୟ ମଧ୍ୟ ସମାପ୍ତ କଲେ। ଚିଲିକା ମଝିର ସେହି ଶାନ୍ତ ପରିବେଶରେ କିଛି ସମୟ ବୁଲାବୁଲି କରିବାପରେ
ସେମାନେ ପୁଣି କୂଳକୁ ଆଡ଼କୁ ବାହାରିବାକୁ ଆଗ୍ରସର ହେଲେ।ସମସ୍ତେ ଡ଼ଙ୍ଗାରେ ବସିଲେ ଓ ନାଉରିଆ ଡ଼ଙ୍ଗା କୂଳ ଆଡ଼କୁ ମୁହାଁଇଥିଲା। ଚିଲିକାର ଜଳରାଶି ଡ଼ଙ୍ଗାରେ ମାଡ଼ ହୋଇ ଶବ୍ଦ କରୁଥିଲା ଓ ଶାନ୍ତ ପରିବେଶରେ କେବଳ ଢେ଼ଉର ଲହରୀର ଶବ୍ଦ ଶୁଣାଯାଉଥିଲା। ସବୁ ପର୍ଯ୍ୟଟକ ଚୁପଚାପ ବସିଥିଲେ ଓ
ଡ଼ଙ୍ଗା କୂଳ ଆଡ଼କୁ ମାଡି ଚାଲିଥିଲା।କୂଳକୁ ପହଞ୍ଚିବାକୁ ଆଉ ଅଧା ବାଟ ଥିଲା ଓ ଏହି ସମୟରେ କାଳବୈଶାଖୀ କୁଆଡ଼େ ଥିଲା କେଜାଣି ହଠାତ ଚାଲିଆସିଥିଲା ଓ ଡ଼ଙ୍ଗାକୁ ବୁଡାଇ ଦେଇଥିଲା। ଡ଼ଙ୍ଗାରେ ବସିଥିବା ସମସ୍ତ ଯାତ୍ରୀ ଚିଲିକାର ଜଳରାଶିରେ ପଡ଼ିଗଲେ ଓ ସେମାନେ ଚିତ୍କାର କରିବା ଆରମ୍ଭ କରିଥିଲେ କି
ବଞ୍ଚାଅ, ଆମକୁ ବଞ୍ଚାଅ। ସମସ୍ତେ ଜଳ ଭିତରେ ଭୟଭୀତ ପରିସ୍ଥିତି ଦେଇ ଗତି କରୁଥିଲେ ଓ ଉବୁଟୁବୁ ହୋଇ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲେ।ଖବର ପାଇ ପୋଲିସ ପର୍ଯ୍ୟଟକଙ୍କୁ ବଞ୍ଚାଇବା ପାଇଁ ଏନଡ଼ିଆରଏଫ ଟିମକୁ ନିଜ ସାଥିରେ ନେଇ ଚିଲିକା ଭିତରକୁ ଯାଇଥିଲା। ସେଠାରେ ଦୀର୍ଘ ସମୟର ପ୍ରଚେଷ୍ଟା
ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା କିନ୍ତୁ ରାଜକିଶୋର ନାମକ ଜଣେ ବ୍ୟକ୍ତି ନିଖୋଜ ଥିଲେ। ବହୁତ ଖୋଜାଖୋଜି କରିବାପରେ ସେମାନେ ରାଜକିଶୋରଙ୍କୁ ପାଇନଥିଲେ କିନ୍ତୁ ପରଦିନ ପୋଲିସକୁ ଏକ ମୃତଦେହ ଚିଲିକାରୁ ମିଳିଥିଲା ଯାହାକି ରାଜକିଶୋର ଙ୍କର ଥିଲା ବୋଲି ଜଣାପଡ଼ିଥିଲା।
ଏବେ ପ୍ରଶ୍ନ ଉଠୁଛି ଚିଲିକାରେ ବାରମ୍ବାର ଏହିପରି ଘଟଣା ଘଟିବା ସତ୍ତ୍ୱେ ମଧ୍ୟ କଣପାଇଁ ପ୍ରଶାସନ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଉନାହିଁ? ଯାହାଦ୍ୱାରା ପ୍ରତିବର୍ଷ ବହୁସଂଖ୍ୟାରେ ଜୀବନ ଗଭୀର ଜଳରାଶିରେ ଚାଲିଯାଉଛି। ସରକାରଙ୍କୁ ଏଥିପ୍ରତି ଧ୍ୟାନ ଦେବାର ରହିଛି କାରଣ ଚିଲିକା ଓଡ଼ିଶାର ଏକ ସ୍ଵତନ୍ତ୍ର ପର୍ଯ୍ୟଟନ ସ୍ଥଳ ଅଟେ ଓ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କର ସୁରକ୍ଷାକୁ ସର୍ବ ପ୍ରାଥମିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି।